"ଦମନ" ଓଡ଼ିଆ ସିନେମାରେ ଏକ ଯୁଗାନ୍ତକାରୀ ଅଧ୍ୟାୟର ଆହ୍ଵାନ

ବହୁଦିନ ପରେ ଏକ ଭିନ୍ନ ଓ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟିଏ ଓଡ଼ିଆ ସିନେମା "ଦମନ" ଦେଖିବାକୁ ମିଳିଲା। ସୁନ୍ଦର ନିର୍ଦ୍ଦେଶନା ଓ ସଂଳାପ, ଭଲ ସିନେମାଟୋଗ୍ରାଫି, ନିଛୁକ ଓଡ଼ିଆ ଗୀତ ତାହାସହ ଲୋମ ଟାଙ୍କୁରି ଯାଉଥିବା କିଛି ଦୃଶ୍ୟ ଫିଲ୍ମକୁ ଆହୁରି ସୁନ୍ଦର କରିଦେଉଛି।


ଦମନରେ ବାବୁଶାନ୍ ସମ୍ପୂର୍ଣ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିଲେ। ବାବୁଶାନଙ୍କ ଅଭିନୟ ଖୁବ ଚମତ୍କାର ଥିଲା। 


ଦିପାନ୍ଵିତ୍ ସହ କଳାକାର ରୂପେ ଫିଲ୍ମରେ ନିଜର ଚମତ୍କାର ଅଭିନୟ ଦେଖେଇଛନ୍ତି। ଓଡ଼ିଆ ଫିଲ୍ମ ଭବିଷ୍ୟତର ଦିପାନ୍ଵିତ୍ ଏକ ଉଜ୍ଵଳମୟ ତାରକା। ଏହା ଛଡା ଫିଲ୍ମରେ ଥିବା ଅନ୍ୟ କଳାକାର ବୃନ୍ଦ ତଥା ମାଲକାନଗିରିର ସ୍ଥାନୀୟ ଲୋକଙ୍କର ବଳିଷ୍ଠ ଅଭିନୟ ସିନେମାରେ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଛି। ଏହାଛଡା ଦମନ ସିନେମାରେ ଆମେ ମାନେ ବିଲ୍କୁଲ ଆମ ଓଡ଼ିଆ ବାସ୍ନା ଭଲ ଭାବେ ବାରି ପାରିବା। ନିର୍ଦ୍ଦେଶକ ପ୍ରତେକ ଟି ଜିନିଷ କୁ ଓଡ଼ିଶା ଓ ଓଡ଼ିଆର ସ୍ପର୍ଶ ଦେବାକୁ ଚାହିଁଛନ୍ତି ଓ ଯାହା ଦମନରେ ଭଲ ଭାବେ ପରିଲକ୍ଷିତ ମଧ୍ୟ ହେଉଛି।


ନିର୍ଦ୍ଦେଶକ ଦେବି ପ୍ରସାଦ ଲେଙ୍କା ଓ ବିଶାଲ ମୌର ଦମନ ସିନେମାରେ ନିଜର ନିଖୁଣ ନିର୍ଦ୍ଦେଶନା ଦେଇଛନ୍ତି। ଓଡ଼ିଆ ସିନେମା କୁ ଏହିଭଳି ଯୁବ ଓ ନିଷ୍ଠାବାନ ଦରକାର ଅଛି ଯିଏ ବୁଡି ଯାଉଥିବା ଓଡ଼ିଆ ସିନେମା ଜାହାଜ କୁ ପୁଣି ଥରେ ସଜାଡି ସମୁଦ୍ରରର ଢେଉ ସହ ଲଢ଼ିବା ପାଇଁ ସକ୍ଷମ କରିବେ। ପ୍ରକୃତ ପକ୍ଷେ ନିର୍ଦ୍ଦେଶକଙ୍କ ଚିନ୍ତାଧାରା କୁ ମାନିବାକୁ ପଡ଼ିବ ଛୋଟ ଠାରୁ ଆରମ୍ଭ କରି ବଡ ବସ୍ତୁ ପର୍ୟ୍ୟନ୍ତ ସବୁଥିରେ ନିଜର ଓଡ଼ିଆ ଛାପ ଛାଡ଼ିବାକୁ ଚେଷ୍ଟା କରିଛନ୍ତି।


 ସିନେମାରେ ଓଡ଼ିଶାର ପ୍ରକୃତି ସହ ଉତ୍ତର ଓଡ଼ିଆ ଓ ଦକ୍ଷିଣ ଓଡ଼ିଶା ର ସମ୍ମିଳନ ଦେଖିବାକୁ ପାଇବେ। ଦମନ ସିନେମାରେ ଆଞ୍ଚଳିକ ଭାଷାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ, ଯାହା ଏକ ସୁନ୍ଦର ଓ ଭଲ ବାର୍ତ୍ତା ଦେଉଛି। ନିର୍ଦେଶକଙ୍କ ଦୃରଦୃଷ୍ଟି କୁ ସମ୍ମାନ ଦେବା କଥା।


ଫିଲ୍ମ ଆହୁରି ସୁନ୍ଦର ହୋଇପାରିଥାନ୍ତା, କିନ୍ତୁ ଫିଲ୍ମର ବଜେଟ ଅନୁସାରେ ଫିଲ୍ମ ଟି ଯାହା ହେଇଛି ତାହା ମନ୍ଦ ନୁହେଁ। ପ୍ରକୃତରେ ଏତେ କମ୍ ଖର୍ଚ୍ଚରେ ଯେ ଏତେ ସୁନ୍ଦର ମୁଭି କରି ହେବ ତାହା ଭାବିବା ମୁସ୍କିଲ। ଓଡ଼ିଶାରେ କୌଣସି ସାଧନର ଅଭାବ ନାହିଁ। ଓଡ଼ିଶା ପ୍ରାକୃତିକ ସୁନ୍ଦରତା, ବିଷୟବସ୍ତୁ, ପ୍ରତିଭା ଓ ଦକ୍ଷତାର ପରିପୂର୍ଣ। ଆଶା ଭବିଷ୍ୟତରେ ଓଡ଼ିଶାର ସିନେମା ପ୍ରଯୋଜକ ଏହିଭଳି ସୁନ୍ଦର ସିନେମା କୁ ନିହାତି ରୂପେ ପ୍ରୋତ୍ସାହିତ କରିବେ ଓ ଦମନ ଏହା ପାଇଁ ସୁନ୍ଦର ରାସ୍ତା ଟିଏ ନିର୍ମାଣ କରିଦେଇଛି।

ସବୁବେଳେ ଏଣୁତେଣୁ ବିଷୟବସ୍ତୁ ନେଇ ସିନେମା ବନଉଥିବା, ଅନ୍ୟ ଚଳଚ୍ଚିତ୍ର କୁ ଡବିଂ କରୁଥିବା ଓଡ଼ିଆ ସିନେମା ଏଥର କିନ୍ତୁ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ନିର୍ମାଣ କରିଛି। ଦମନ ଭଳି ଚଳଚ୍ଚିତ୍ର ଓଡ଼ିଆ ସିନେମା ଜଗତ କୁ ଆଗକୁ ବଢ଼ିବାକୁ ସହଯୋଗ କରିବ, ଦୁର୍ଦ୍ଦିନରେ ଥିବା ଓଡ଼ିଶାର ସିନେମା ଜଗତ ପାଇଁ ଦମନ ଏକ ନୂଆ ଆଶା ସଞ୍ଚାର କରିଛି।

ଏହି ଚଳଚିତ୍ର ମଧ୍ୟ କପି କିନ୍ତୁ କୌଣସି ଦକ୍ଷିଣ ଭାରତୀୟ ସିନେମା ରୁ ନୁହଁ ବରଂ ନିଜ ଓଡ଼ିଶା ମାଟିର କାହାଣୀ ର କପି ଅର୍ଥାତ ଆମ ଓଡ଼ିଶାର ବଲାଙ୍ଗୀର ସହର ମାଟିର ପୁଅ ଡାକ୍ତର ଓମକାର ହୋତା ଙ୍କ ଭଳି ଜଣେ ପ୍ରେରଣାଦାୟୀ ମଣିଷ ର ଜୀବନ ରୁ କପି ତଥା ସ୍ବାଭିମାନ ଅଞ୍ଚଳ ମାଲକାନଗିରିରେ ରହୁଥିବା ସମସ୍ତ ଆଦିବାସୀ ଜନତା ଙ୍କ କରୁଣ କୋହ ଓ ନିରିହତାର ନିଚ୍ଛକ କପି। ଦିନରାତି ଏକ କରି ବିଛିନ୍ନ ଅଞ୍ଚଳରେ ସଚେତନ କରେଇଥିବା ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ତଥା ଅନ୍ୟାନ୍ୟ ବିଭାଗର ସଦସ୍ୟଙ୍କ ଜୀବନ ରୁ କପି। ଏଭଳି ଏକ ସୁନ୍ଦର କପି ସିନେମା କୁ ଆମ ଆଗରେ ଭେଟି ଦେଇଥିବାରୁ ସମସ୍ତ କ୍ରିଉ ସଦସ୍ୟ ନିର୍ଦେଶକ ଓ ଓଡ଼ିଶାର ଲୋକପ୍ରିୟ କଳାକାର ବାବୁଶାନ୍ ଙ୍କୁ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ।


ଅନ୍ୟ ଏକ କଥା ଯାହା ଛାଡିଗଲି। ଦମନ ଫିଲ୍ମରେ ଓଡ଼ିଆ ଭାଷା ସହ ମାଲକାନଗିରି ର ଆଞ୍ଚଳିକ ଭାଷା ଓ ପ୍ରାକୃତିକ ସୁନ୍ଦରତା କୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଅଛି, ଯାହା ଅତ୍ୟନ୍ତ ସୁନ୍ଦର ଲାଗିଲା। ସିନେମା ଆଉ ୧୦ ମିନିଟ୍ ଅଧିକ ଲମ୍ବା ହୋଇଥିଲେ ଦେଖିବାକୁ ଆହୁରି ଭଲ ଲଗିଥାନ୍ତା ହେଲେ ବି ଚଳିବ କିଛି ଅସୁବିଧା ନାହିଁ। 🤗


"ଦମନ", ଓଡ଼ିଆ ସିନେମା ପ୍ରତି ଲୋକଙ୍କ ମନରେ ଯେଉଁ Copy Culture ର ରୂଢିବଦ୍ଧ ଧାରଣା ସୃଷ୍ଟି ହେଇଛି ତାହାକୁ "ଦମନ" କରୁ ଏହାହିଁ ଆଶା।





Comments

Popular posts from this blog

ହିନ୍ଦୁ ପରମ୍ପରାରେ ତୁଳସୀ ପୂଜନ